ଜ୍ୟେଷ୍ଠମାସର ମୁଣ୍ଡଫଟା ଖରା ସାଙ୍ଗକୁ ଏଇ ନିଆଁଲଗା ଝାଞ୍ଜି ପବନ,ଜୀବନକୁ ନିରସ କରିପକାଉଥାଏ । ତାରି ଭିତରେ ବଡି ଜାଙ୍ଗୁଲାରୁ ଉଠି ଘର ପାଇଟି ସାରିବା,ଘରପରିବାର କଥା ବୁଝିବା ସାଙ୍ଗକୁ ରୋଷେଇ କାମଟା ସଅଳ ସରିଗଲେ ଦିନ ଯାକର ଯଞ୍ଜାଳ ଶେଷ । ଅଗଣା ପଟ ଚୁଲିରେ ରୋଷେଇ ହୁଏ ;ସିଏ ପୁଣି କେଇ ଖଣ୍ଡ ନଡିଆ ବାହୁଙ୍ଗାର ଛାମୁଣ୍ଡିଆ ଛାଇ ଭରଷାରେ । ଏମିତି ଏକ ସକାଳର କଥା । ହେମ ଡାକୁଥାଏ,"ଆଲୋ ଏ ସାବି, ବେଳ ଆସି ଘଡିଏ ପାହି ସକାଳ ହେବାକୁ ବସିଲାଣି । ଟିକେ ଝଅଟ ଉଠୁ । ସେପଟେ ଘରଟା ଯାକର ବାସନ ନନ୍ଦିଆ ପାଖରେ ପଡିଛି । ଦାଣ୍ଡପଟ ଗୁହାଳର ଗୋବର ଗୋଟା ବାକି ଅଛି । ଉଠିଲୁ ମା..। ଘର ଓଳେଇ ଓଳେଇ ଝିଅକୁ ଏମିତି କହୁଥାଏ । ଅଧା ଆଖିଫିଟା ଅଳସ ଠାଣିରେ ସାବି ଉଠି ସିଧା କୁଣ୍ଡ ମୁଳରେ । ମୁହଁରେ ପାଣିହାତ ଟିକେ ମାରିଦେଇ ଦାଣ୍ଡପଟକୁ ଚାଲିଲା । ଅଗଣାରେ ଥିବା ବୃନ୍ଦାବତୀ ମାଆ ଚଉରାକୁ ଦଣ୍ଡବତ ହେଲା । ତା ପରେ ମାଆଠାରୁ ଝାଟୁଆ ମାଗି କହିଲା ,"ବୋଉ ତୁ ଯା ଗୁହାଳ ସଫା କରିଦେ, ମୁଁ ଘର ଓଳେଇ ବାସନ ମାଜିଦେବି । ଏମିତି ମାଆ ଝିଅ ଦୁହେଁ ଘର ପାଇଟି ସାରିଦେଲେ " । ହେମ କହିଲା ଆଇଲୁ ମା ତୋ ମୁଣ୍ଡଟା ଟିକେ ସାଉଁଳି ଆଣେ । ଘର ଅଗଣା ପିଣ୍ଢାରେ ବସି ହେମ ସିଙ୍ଗି ପାନିଆ ଧରି ଝିଅର ଅସଜଡା ମୁକୁଳା ବାଳକୁ ବାନ୍ଧିଲା । ତା ପରେ କହିଲା ବାପା ତୋର ଭୋର ରୁ ଉଠି ହଳ ନେଇ ଯାଇଛନ୍ତି । ତିନିମାଣ ପାଖ ଜମି ହଳ ହଉଚି । ବଦଳିକି ଭାତ ବାଢିଦବୁ । ସୁଲି ଭାଉଜ ଚୁଲିରେ ବାଇଗଣ ଓ ଶୁଖୁଆଟେ ପୋଡି ସବୁକୁ ଛୋଟ ଡେକଚିରେ ସଜାଡିଦେଇ ବାପା କରିହାରେ ବାନ୍ଧିଦେଇ ନେଇକି ଯିବୁ । ମୁଁ ଗାଧୋଇ ଯାଉଚି । ଅରୁଗୁଣିବାଡିର ଲୁଗାରେ ଘରଚାବି ବାନ୍ଧିଦେଇ ଯିବୁ । ସାବି ସବୁ ସଜଡା ସଜଡି କରି ନେଇ ଚାଲିଲା ।
ବାପା ହଳ ଛିଡାକରି ଆସ । ମୁଁ ଖାଇବା ଆଣି ଆସିଚି । ବାପା କହିଲେ ଆରେ ମା ସେ ଗଛ ମୂଳରେ ଥୋଇଦେଇ ଯା, ମୁଁ ଖାଇନେବି । ନାଇଁ ତମେ ଆଗ ଆସିଲ ବାପା । ହଉ ହଉ ଏଇ ସିଆରଟା ମାରିଦିଏ ଯାଇ ଖାଇବି । ସେଠୁ ଦାସ ଆସି ହାତ ଧୋଇହୋଇ ଖାଇବାକୁ ବସିଲା । ସାବି ପଚାରିଲା,"ବାପା, ଏସନ କଣ କଖାରୁ ଲାଗିବ ନା ଆଉକିଛି ? ହଁ ଲୋ ମା, କଖାରୁ ସାଙ୍ଗରେ କାକୁଡି ଆଉ ବୋଦି ଟିକେ ଲଗେଇବା । ପୁଣି କିଆରୀ ଉଠିଲେ ଧାନ ରୁଆ ହବନା ଆଉ । ଆସୁନୁ ମୋ ସହ ଯୋଡିଏ ଖାଇଦବୁ । ନାଇଁମ ବାପା ତମେ ଖାଅ । ଆଁ କଲୁ ଏଇ ଗୋଟେ ଗୁଣ୍ଡା ଖାଇଦେ ମ । ଖାଇ ସାରି ଦାସ କହିଲା ମା ରେ ତୁ ଘରକୁ ପଳା । ମୁଁ ହଳ ସାରି ଯାଉଛି । ସାବି ବାସନକୁ କାନ୍ଦୋଳି ଚୁଆରେ ମାଜି ଘରକୁ ଫେରିଲା । ବୋଉ ତାର ଗାଧୋଇ ଆସି ଭାତୁଆଣି ଦେଲାଣି । ସାବିବି ଗାଧୁଆ ସାରିଦେଲା । ମା ଝିଅ ଦୁହେଁ ପଖାଳ ଖାଇବାକୁ ବସିଲେ । ପାଖରେ ହେମ ଯୌତୁକରେ ଆଣିଥିବା ରେଡିଓଟି ବାଜୁଥାଏ । ସମୟ ୯.୩୦ ଖଣ୍ଡେ ହବ । ଆକାଶବାଣୀରେ ଗୀତଗୀତିକା କାର୍ଯ୍ୟକ୍ରମ ବାଜୁଥାଏ । ବାପା ତାର ହଳ ଆଣି ଆସି ଡାକ ପକେଇଲେ ଆଲୋ ଏ ସାବିବୋଉ, ତୋରାଣିପାଣି ଟିକେ ଆଣି କାଳିଆ କସରାଙ୍କୁ ଟିକେ ଦେ । ବଳଦଙ୍କୁ ବାନ୍ଧିଦେଇ ଦାଣ୍ଡପିଣ୍ଢାରେ ନଥାମାଡି ବସିଗଲା । ସାବିଲୋ ପାଣି ମନ୍ଦେ ନେଇକି ଆସିଲୁ । ସାବି ପାଣି ଆଣି ଦେଲା । ପାଣି ପିଇ କହିଲା ମା ଲୋ ଗଲୁ ଗଲୁ କୋଡିଟା ନେଇକି ଆସିବୁ,ମୁଁ ଯାଇ ବିଲରେ ମନ୍ଦା କରିଦେଇ ଆସିଲେ ଉପରଓଳି ଯାଇ କଖାରୁ,କାକୁଡି, ବୋଦି ଲଗେଇଦେଇ ଆସିବା । ତୋ ବୋଉକୁ ପଚାରିଲୁ ମଞ୍ଜିସବୁ ଗଜା କରିଥିଲା, ହୋଇଛି ନା ନାଇଁ ? ସେପଟୁ ହେମ ଉତ୍ତର ଦେଲା ହଁ ହଁ ଗଜା ହୋଇଯାଇଛି । ସେଠୁ ଉପରଓଳି ସମସ୍ତେ ଗରା ବାଲେଟି ଧାଳ ଧରି ବିଲକୁ ଚାଲିଲେ । ସବୁ ମନ୍ଦାରେ ପାଣିଢାଳି ସେଥିରେ ମଞ୍ଜି ପୋତିଲେ । ଦାସ କହିଲା ସାବି ବୋଉ ରହ ମୋ ସବି ଆଗ ଅନୁକୂଳ କରିବ ମଞ୍ଜିଲଗା । ଆଗ ମୋ ଲକ୍ଷ୍ମୀହାତରୁ ଆରମ୍ଭ ହବ ନା ଆଉ । ମଞ୍ଜିଲଗା ପରଠୁ ପ୍ରତ୍ୟେକଦିନ ଉପରଓଳି ପାଣିଦେବାକୁ ଯିବାକୁ ପଡୁଥାଏ ।
ଏମିତି ଏକ ଦିନର ଘଟଣା । ଉପରଓଳି ଗଛରେ ପାଣିଦେବା ପାଇଁ ବା ମା ଝିଅ ତିନିହେଁ ଯାଇଥାନ୍ତି । ଗରା,ବାଲେଟିରେ ପାଣି ଧରି ଚୁଆରୁ ଉଠିବାକୁ ପଡୁଥାଏ । ପାଣିପଡି ଚୁଆଉଠା ରାସ୍ତା କାଦୁଅ ବି ହୋଇଥାଏ । ପାଣି ଆଣୁ ଆଣୁ ସାବିର ଗୋଡ ଖସଡି ଗଲା । ଆଉ ସିଏ ଗଡି ଗଡି ଯାଇ ଚୁଆ ଭିତରେ । ପଡିସାଘର ସନାକକା ସ୍ତ୍ରୀ ଦେଖି ଫେଁ କିନା ହସିଦେଲା । କହିଲା ଆଲୋ ସାବି ତୁ ଗରା ବାଲେଟିଟେ ଟେକି ପାରୁନୁ,ଶାଶୁଘରେ ପାଇଟି କେମିତି କରିବୁ ! ଏତିକିରେ ତ ସାବି ମନକୁ ମାରି ଗଛ ତଲେ ବସିଲା । ବାପା ଯେତେ ଡାକିଲେ ପାଣି ବାଲେଟି ଧରିଲାନି । ତାର ସବୁରାଗ ସନା ସ୍ତ୍ରୀ ଉପରେ । ମୁହଁ ସଞ୍ଜ ହୋଇଆସୁଥାଏ । ବିଲଆଡେ ଯାଇ ସନାକକା ବିଲରୁ ପାଚିଲା ଫୁଟିକାକୁଡି ଦି ଟା ତୋଳିଆଣି ସାବି ଘରକୁ ଆସିଚି । ଦାଣ୍ଡପଟେ ନ ଯାଇ ବାଡିପଟ କବାଟ ଥିରିକିନା ଖୋଲି ଘରକୁ ପସିଗଲା ବେଳକୁ ମା ପଚାରିଲା, "ଆଲୋ ସାବି, କାନିରେ କଣ ଗୁଡେଇ ବାନ୍ଧିଛୁ କିଲୋ, ପୁଣି ବାଡିପଟ ଦେଇ ଲୁଚି ଲୁଚି ଆସୁଚୁ" । ବୋଉ ଧୀରେ କହ । ତତେ ଆଜି ବିଲ ପାଖରେ ସନାକକା ସ୍ତ୍ରୀ କହୁଥିଲା ନା ତାଙ୍କ ଫୁଟି କାକୁଡି ପାଚିଯାଇଛି, ସେ ପାଳ ଘୋଡେଇବାକୁ ଆସିଛି ବୋଲି । ମା କହିଲେ ହଁ ତ । ସେଠୁ କଣ ହେଲା ? ବାଟ ଲୋକ ବାଟରେ ଯାଇ ଫେରିଥାନ୍ତୁ । ତୋର କଣ ଦରକାର, ମୁଁ ପଡିଗଲି କି କଣ ହେଲି ! ଫେଁ କିନା ଦାନ୍ତ ଟାକୁ ନେଫେଡେଇ ଦେଲା । ସେଇ ରାଗରେ ତା ବିଲରୁ ଫୁଟି କାକୁଡି ନେଇ ଆସିଚି । ସିଏ ସିନା ଲଗେଇଥିଲା, ହେଲେ ପ୍ରଥମେ ମୁଁ ଖାଇବି । ଏଥର ହସୁଥାଉ କେତେ ହସୁଚି । ଏଇ ଫୁସୁଫୁସୁ ମା ଝିଅଙ୍କ କଥା ଚାଲିଥିବାବେଳେ ବାପା ଆସି ପହଞ୍ଚି କହିଲେ ମା ଝିଅଙ୍କର କଣ ଫୁସୁରୁଫାସର ଚାଲିଚି ଶୁଣେ.........
ୟା ଭିତରେ ସାବି, ନୂଆବୋହୂ ସାଜି ଆଉ କାହା ଘର ସାବିତ୍ରୀ ହୋଇଯାଇଛି । ଦାଣ୍ଡପିଣ୍ଢାରେ ନଣନ୍ଦ ଭାଉଜ ଅଳତା ଲଗାଉଥାନ୍ତି । ସାବିତ୍ରୀ ପାଇଁ ମନ୍ଦିର ଯିବାକୁ ସାବିତ୍ରୀ ଗୋଡରେ ଅଳତା ଲଗେଇଲା ବେଳେ ପିଲା ବେଳର ଏଇକଥା ଭାବି କହି ଉଠିଲା," ନାଇଁମ ବାପା ସେ କିଛି ନୁହଁ । ଏମିତି କହି ଗୋଡକୁ ତ ଉଠେଇ ନେଇଚି । ରକ୍ତଯବାର ମଳିନତାର ବେପରୁଆ ଭଙ୍ଗି ଦେଖି ନଣନ୍ଦ ଭାଉଜ ଦୁହେଁ ହସି ଉଠିଛନ୍ତି ।
କ୍ରମଶ...........
✍ ଜଗନ ପାଳ



0 Comments